ପ୍ରଥମ ଶାମୁୟେଲ 19 : 1 (ORV)
ଅନନ୍ତର ଦାଉଦଙ୍କୁ ବଧ କରିବା ପାଇଁ ଶାଉଲ ଆପଣା ପୁତ୍ର ଯୋନାଥନକୁ ଓ ଆପଣା ଦାସ ସମସ୍ତଙ୍କୁ କହିଲେ ।
ପ୍ରଥମ ଶାମୁୟେଲ 19 : 2 (ORV)
ମାତ୍ର ଶାଉଲଙ୍କର ପୁତ୍ର ଯୋନାଥନ ଦାଉଦଙ୍କ-ଠାରେ ଅତ୍ୟ; ଅନୁରକ୍ତ ଥିଲା । ଏହେତୁ ଯୋନାଥନ ଦାଉଦଙ୍କୁ କହିଲା, ମୋର ପିତା ଶାଉଲ ତୁମ୍ଭକୁ ବଧ କରିବାକୁ ଚାହାନ୍ତି; ଏଥିପାଇଁ ମୁଁ ବିନୟ କରୁଅଛି, ତୁମ୍ଭେ ପ୍ରାତଃକାଳରେ ଆପଣା ବିଷୟରେ ସାବଧାନ ହୋଇ କୌଣସି ଗୁପ୍ତ ସ୍ଥାନରେ ରହି ଆପଣାକୁ ଲୁଚାଅ;
ପ୍ରଥମ ଶାମୁୟେଲ 19 : 3 (ORV)
ପୁଣି ତୁମ୍ଭେ ଯେଉଁ କ୍ଷେତ୍ରରେ ଥିବ, ସେସ୍ଥାନକୁ ମୁଁ ଯାଇ ମୋହର ପିତାଙ୍କ ପାଖରେ ଠିଆ ହୋଇ ତୁମ୍ଭ ବିଷୟରେ ମୋର ପିତାଙ୍କ ସଙ୍ଗେ କଥୋପକଥନ କରିବି; ଯେବେ ମୁଁ କିଛି ଦେଖିବି, ତେବେ ତୁମ୍ଭକୁ ଜଣାଇବି ।
ପ୍ରଥମ ଶାମୁୟେଲ 19 : 4 (ORV)
ପୁଣି ଯୋନାଥନ ଆପଣା ପିତା ଶାଉଲଙ୍କୁ ଦାଉଦଙ୍କ ବିଷୟରେ ଭଲ କଥା କହି ତାଙ୍କୁ କହିଲା, ମହାରାଜ, ଆପଣା ଦାସ ଦାଉଦ ବିରୁଦ୍ଧରେ ପାପ ନ କରନ୍ତୁ, ଯେହେତୁ ସେ ଆପଣଙ୍କ ବିରୁଦ୍ଧରେ ପାପ କରି ନାହିଁ; ମାତ୍ର ତାହାର ସମସ୍ତ କର୍ମ ଆପଣଙ୍କ ପକ୍ଷରେ ଅତି ମଙ୍ଗଳଜନକ ହୋଇଅଛି;
ପ୍ରଥମ ଶାମୁୟେଲ 19 : 5 (ORV)
କାରଣ ସେ ଆପଣା ପ୍ରାଣ ହସ୍ତରେ ଧରି ସେହି ପଲେଷ୍ଟୀୟକୁ ବଧ କଲା, ତହିଁରେ ସଦାପ୍ରଭୁ ସମୁଦାୟ ଇସ୍ରାଏଲ ନିମନ୍ତେ ମହା ଉଦ୍ଧାର ସାଧନ କଲେ; ଆପଣ ତାହା ଦେଖିଥିଲେ ଓ ଆନନ୍ଦ କରିଥିଲେ; ତେବେ ଆପଣ ବିନା କାରଣରେ ଦାଉଦକୁ ବଧ କରି କିହେତୁ ନିର୍ଦ୍ଦୋଷ ରକ୍ତ ବିରୁଦ୍ଧରେ ପାପ କରିବେ?
ପ୍ରଥମ ଶାମୁୟେଲ 19 : 6 (ORV)
ଏଥିରେ ଶାଉଲ ଯୋନାଥନର ରବ ଶୁଣିଲେ; ପୁଣି ଶାଉଲ ଶପଥ କରି କହିଲେ, ସଦାପ୍ରଭୁ ଜୀବିତ ଥିବା ପ୍ରମାଣେ ସେ ହତ ହେବେ ନାହିଁ ।
ପ୍ରଥମ ଶାମୁୟେଲ 19 : 7 (ORV)
ଏଉତ୍ତାରେ ଯୋନାଥନ ଦାଉଦଙ୍କୁ ଡାକିଲା ଓ ଯୋନାଥନ ତାଙ୍କୁ ସେ ସମସ୍ତ କଥା ଜଣାଇଲା । ପୁଣି ଯୋନାଥନ ଦାଉଦଙ୍କୁ ଶାଉଲଙ୍କ ନିକଟକୁ ଆଣିଲା, ତହିଁରେ ସେ ପୂର୍ବ ପରି ତାଙ୍କ ସମ୍ମୁଖରେ ରହିଲେ ।
ପ୍ରଥମ ଶାମୁୟେଲ 19 : 8 (ORV)
ଅନନ୍ତର ପୁନର୍ବାର ଯୁଦ୍ଧ ହେଲା; ତହିଁରେ ଦାଉଦ ବାହାରି ପଲେଷ୍ଟୀୟମାନଙ୍କ ସଙ୍ଗେ ଯୁଦ୍ଧ କରି ସେମାନଙ୍କୁ ମହାସଂହାରରେ ବଧ କଲେ; ତହୁଁ ସେମାନେ ତାଙ୍କ ସମ୍ମୁଖରୁ ପଳାୟନ କଲେ ।
ପ୍ରଥମ ଶାମୁୟେଲ 19 : 9 (ORV)
ଏଉତ୍ତାରେ ଶାଉଲ ଆପଣା ହାତରେ ବର୍ଚ୍ଛା ଧରି ଗୃହରେ ବସିଥିବା ବେଳେ ସଦାପ୍ରଭୁଙ୍କଠାରୁ ଏକ ମନ୍ଦ ଆତ୍ମା ତାଙ୍କ ଉପରକୁ ଆସିଲା; ସେସମୟରେ ଦାଉଦ ଆପଣା ହସ୍ତରେ ବାଦ୍ୟ ବଜାଉଥିଲେ,
ପ୍ରଥମ ଶାମୁୟେଲ 19 : 10 (ORV)
ଏପରି ସମୟରେ ଶାଉଲ ବର୍ଚ୍ଛାରେ ଦାଉଦଙ୍କୁ କାନ୍ଥରେ ଫୋଡ଼ି ପକାଇବାକୁ ଚାହିଁଲେ; ମାତ୍ର ସେ ଶାଉଲଙ୍କ ସମ୍ମୁଖରୁ ଘୁଞ୍ଚିଯିବାରୁ ବର୍ଚ୍ଛା କାନ୍ଥରେ ଫୋଡ଼ି ହୋଇଗଲା; ପୁଣି ଦାଉଦ ପଳାଇ ସେହି ରାତ୍ରି ରକ୍ଷା ପାଇଲେ ।
ପ୍ରଥମ ଶାମୁୟେଲ 19 : 11 (ORV)
ତହୁଁ ଦାଉଦଙ୍କୁ ଜଗି ସକାଳେ ବଧ କରିବା ପାଇଁ ତାଙ୍କର ଗୃହକୁ ଶାଉଲ ଦୂତମାନଙ୍କୁ ପଠାଇଲେ; ଏଥିରେ ଦାଉଦଙ୍କର ଭାର୍ଯ୍ୟା ମୀଖଲ ତାଙ୍କୁ କହିଲା, ତୁମ୍ଭେ ଆଜି ରାତ୍ରି ଆପଣା ପ୍ରାଣରକ୍ଷା ନ କଲେ, କାଲି ହତ ହେବ ।
ପ୍ରଥମ ଶାମୁୟେଲ 19 : 12 (ORV)
ତେଣୁ ମୀଖଲ ଝରକା ଦେଇ ଦାଉଦଙ୍କୁ ଓହ୍ଲାଇ ଦେଲା; ଏଥିରେ ସେ ଗଲେ ଓ ପଳାଇ ରକ୍ଷା ପାଇଲେ ।
ପ୍ରଥମ ଶାମୁୟେଲ 19 : 13 (ORV)
ତହୁଁ ମୀଖଲ ମୂର୍ତ୍ତି ନେଇ ଶଯ୍ୟାରେ ଶୁଆଇଲା ଓ ଛାଗଲୋମ ନିର୍ମିତ ରେଜାଇ ତହିଁର ମସ୍ତକରେ ଦେଇ ତାହାକୁ ଚାଦରରେ ଘୋଡ଼ାଇ ରଖିଲା ।
ପ୍ରଥମ ଶାମୁୟେଲ 19 : 14 (ORV)
ଏଉତ୍ତାରେ ଦାଉଦଙ୍କୁ ଧରି ନେବା ପାଇଁ ଶାଉଲ ଦୂତମାନଙ୍କୁ ପଠାନ୍ତେ, ମୀଖଲ କହିଲା, ସେ ପୀଡ଼ିତ ଅଛନ୍ତି ।
ପ୍ରଥମ ଶାମୁୟେଲ 19 : 15 (ORV)
ତହିଁରେ ଶାଉଲ ଦାଉଦଙ୍କୁ ଦେଖିବା ପାଇଁ ଦୂତମାନଙ୍କୁ ପଠାଇ କହିଲେ, ତାହାକୁ ଶଯ୍ୟାରେ ମୋʼ ନିକଟକୁ ଆଣ, ମୁଁ ତାହାକୁ ବଧ କରିବି ।
ପ୍ରଥମ ଶାମୁୟେଲ 19 : 16 (ORV)
ତହୁଁ ଦୂତମାନେ ଭିତରେ ଯାʼନ୍ତେ, ଦେଖ, ଶଯ୍ୟାରେ ମୂର୍ତ୍ତି ଅଛି ଓ ତହିଁର ମସ୍ତକରେ ଛାଗଲୋମ ନିର୍ମିତ ରେଜାଇ ଅଛି ।
ପ୍ରଥମ ଶାମୁୟେଲ 19 : 17 (ORV)
ଏଣୁ ଶାଉଲ ମୀଖଲକୁ କହିଲେ, ତୁମ୍ଭେ କାହିଁକି ମୋତେ ଏରୂପ ପ୍ରବଞ୍ଚନା କଲ ଓ ମୋʼ ଶତ୍ରୁକୁ ଛାଡ଼ିଦେଲ ଯେ, ସେ ପଳାଇଗଲା? ତହିଁରେ ମୀଖଲ ଶାଉଲଙ୍କୁ ଉତ୍ତର କଲା, ସେ ମୋତେ କହିଲେ, ମୋତେ ଛାଡ଼ିଦିଅ; ମୁଁ କାହିଁକି ତୁମ୍ଭକୁ ବଧ କରିବି?
ପ୍ରଥମ ଶାମୁୟେଲ 19 : 18 (ORV)
ଏଥି ମଧ୍ୟରେ ଦାଉଦ ପଳାଇ ରକ୍ଷା ପାଇଲେ ଓ ରାମାରେ ଶାମୁୟେଲଙ୍କ ନିକଟକୁ ଯାଇ ଶାଉଲ ତାଙ୍କ ପ୍ରତି ଯାହା କରିଥିଲେ, ତାହା ସବୁ ତାଙ୍କୁ ଜଣାଇଲେ । ତହୁଁ ସେ ଓ ଶାମୁୟେଲ ଯାଇ ନାୟୋତରେ ବାସ କଲେ ।
ପ୍ରଥମ ଶାମୁୟେଲ 19 : 19 (ORV)
ଏଉତ୍ତାରେ ଶାଉଲଙ୍କୁ ଜଣାଇ ଦିଆଗଲା, ଦେଖ, ଦାଉଦ ରାମାସ୍ଥିତ ନାୟୋତରେ ଅଛନ୍ତି ।
ପ୍ରଥମ ଶାମୁୟେଲ 19 : 20 (ORV)
ତେଣୁ ଶାଉଲ ଦାଉଦଙ୍କୁ ଧରିବା ପାଇଁ ଦୂତମାନଙ୍କୁ ପଠାଇଲେ; ମାତ୍ର ସେମାନେ ଭବିଷ୍ୟଦ୍ବକ୍ତା ଦଳକୁ ଭବିଷ୍ୟଦ୍ବାକ୍ୟ ପ୍ରଚାର କରିବାର ଓ ସେମାନଙ୍କ ଉପରେ ନିଯୁକ୍ତ ଶାମୁୟେଲଙ୍କୁ ଠିଆ ହେବାର ଦେଖନ୍ତେ, ପରମେଶ୍ଵରଙ୍କ ଆତ୍ମା ଶାଉଲଙ୍କର ଦୂତମାନଙ୍କ ଉପରକୁ ଆସିଲେ, ତହିଁରେ ସେମାନେ ମଧ୍ୟ ଭବିଷ୍ୟଦ୍ବାକ୍ୟ ପ୍ରଚାର କଲେ⇧ ।
ପ୍ରଥମ ଶାମୁୟେଲ 19 : 21 (ORV)
ଆଉ ଏହି କଥା ଶାଉଲଙ୍କୁ ଜଣାଇ ଦିଆଯାʼନ୍ତେ, ସେ ଅନ୍ୟ ଦୂତମାନଙ୍କୁ ପଠାଇଲେ, ମାତ୍ର ସେମାନେ ମଧ୍ୟ ଭବିଷ୍ୟଦ୍ବାକ୍ୟ ପ୍ରଚାର କଲେ । ଏଉତ୍ତାରେ ଶାଉଲ ପୁନର୍ବାର ତୃତୀୟ ଥର ଦୂତମାନଙ୍କୁ ପଠାଇଲେ ଓ ସେମାନେ ମଧ୍ୟ ଭବିଷ୍ୟଦ୍ବାକ୍ୟ ପ୍ରଚାର କଲେ ।
ପ୍ରଥମ ଶାମୁୟେଲ 19 : 22 (ORV)
ତେବେ ସେ ନିଜେ ମଧ୍ୟ ରାମାକୁ ଯାଇ ସେଖୁସ୍ଥିତ ବୃହତ କୂପ ନିକଟରେ ଉପସ୍ଥିତ ହେଲେ; ପୁଣି ସେ ପଚାରି କହିଲେ, ଶାମୁୟେଲ ଓ ଦାଉଦ କେଉଁଠାରେ ଅଛନ୍ତି? ଏଥିରେ ଜଣେ କହିଲା, ଦେଖ, ସେମାନେ ରାମାସ୍ଥିତ ନାୟୋତରେ ଅଛନ୍ତି ।
ପ୍ରଥମ ଶାମୁୟେଲ 19 : 23 (ORV)
ତେଣୁ ସେ ରାମାସ୍ଥିତ ନାୟୋତକୁ ଗଲେ; ତହିଁରେ ପରମେଶ୍ଵରଙ୍କ ଆତ୍ମା ତାଙ୍କ ଉପରକୁ ମଧ୍ୟ ଆସନ୍ତେ, ସେ ଯାଉ ଯାଉ ରାମାସ୍ଥିତ ନାୟୋତରେ ଉପସ୍ଥିତ ହେବା ପର୍ଯ୍ୟନ୍ତ ଭବିଷ୍ୟଦ୍ବାକ୍ୟ ପ୍ରଚାର କଲେ ।
ପ୍ରଥମ ଶାମୁୟେଲ 19 : 24 (ORV)
ପୁଣି ସେ ମଧ୍ୟ ଆପଣା ବସ୍ତ୍ର କାଢ଼ି ଶାମୁୟେଲଙ୍କ ସମ୍ମୁଖରେ ଭବିଷ୍ୟଦ୍ବାକ୍ୟ ପ୍ରଚାର କଲେ, ଆଉ ସେହି ଦିନଯାକ ଓ ରାତ୍ରିଯାକ ପୋଷାକ ନ ପିନ୍ଧି ପଡ଼ି ରହିଲେ । ତେଣୁ ଲୋକେ କହନ୍ତି, ଶାଉଲ ହିଁ କି ଭବିଷ୍ୟଦ୍ବକ୍ତାମାନଙ୍କ ମଧ୍ୟରେ ଜଣେ?

1 2 3 4 5 6 7 8 9 10 11 12 13 14 15 16 17 18 19 20 21 22 23 24

BG:

Opacity:

Color:


Size:


Font: